# ବେଙ୍ଗାଲୁରୁ ସଡ଼କରେ ମଧ୍ୟରାତ୍ରି!

ଦାନ୍ତବିନ୍ଧା ବେଶି ବଢ଼ିବାରୁ ବର୍ଷା ଆସନ୍ତା କାଲି ଡାକ୍ତରଙ୍କ ପାଖକୁ ଯିବ ବୋଲି ଭାବିଲା। ହେଲେ ରବିବାରରେ ଡାକ୍ତର ଛୁଟିରେ ଥିବାରୁ, ଆଜି ହିଁ ଭେଟିବାକୁ ରିସେପ୍ସନରୁ ସମୟ ମିଳିଲା ।

![](https://cdn.hashnode.com/res/hashnode/image/upload/v1711379002904/d8a098f0-8ed6-458c-b902-755497e556b7.avif align="center")

ଯଦିଓ ପ୍ରଥମେ ଅପରାହ୍ନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ମାତ୍ର ଭିଡ଼ ଯୋଗୁଁ ଏହା କ୍ରମାଗତ ଭାବରେ ବିଳମ୍ବିତ ହୋଇ ରାତି ୧୦:୩୦ ରେ ଯାଇ ଡାକ୍ତରଙ୍କ ଦେଖା ମିଳିଲା। କିଛି ସମୟର ପରାମର୍ଶ ପରେ ସେ ଔଷଧ ନେଇ ଘରକୁ ଯିବାକୁ ବାହାରିଲା।

ଘର ବେଶୀ ଦୂରରେ ନ ଥିବାରୁ ବର୍ଷା ଟ୍ୟାକ୍ସିରେ ନ ଆସି ନିଜ ସାଙ୍ଗ ରଜତ ସହ ଚାଲିକି ଘରକୁ ଫେରିବାକୁ ଆରମ୍ଭ କଲା । ସେତେବେଳକୁ ସମୟ ରାତି ୧୧ଟା ପାଖା ପାଖି ହେଲାଣି।

![](https://cdn.hashnode.com/res/hashnode/image/upload/v1711389671369/6d45194b-1209-4204-9822-834fb4d346ba.jpeg align="center")

ବେଙ୍ଗାଲୁରୁ ସହର ନିଜର ନାଇଟ ଲାଇଫ ଓ ମନୋରଞ୍ଜନ ପାଇଁ ପରିଚିତ, ବିଶେଷ କରି ଛୁଟି ଦିନ ମାନଙ୍କରେ ।  ତେଣୁ ରାସ୍ତାରେ ଅନେକ ରେସ୍ତୋରାଁ ଓ  ବାରରେ ଭିଡ଼ ଲାଗି ରହିଥିଲା  ।

ବର୍ଷାକୁ ରଜତର ବନ୍ଧୁ ଜଣେ ଫୋନ କରିବାରୁ ସେ କଥା ହେବାକୁ ତା’କୁ  ମୋବାଇଲ ଦେଇଥିଲା ।

![](https://cdn.hashnode.com/res/hashnode/image/upload/v1711379067974/c8251793-cdab-48b1-8fca-2caa9ce60f5d.avif align="center")

କିଛି  ସମୟ ପରେ ହଠାତ୍ ପଛରୁ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଫୋନଟି ଛଡାଇ ନେଇ ଜୋରରେ ସେଠାରୁ ଚାଲିଗଲେ। କ’ଣ ଘଟିଗଲା ତାହା ଦୁହେଁ ବୁଝିଲା ବେଳକୁ ବିଳମ୍ବ ହୋଇ ଯାଇଥିଲା ।

ରଜତ ନିଜକୁ ପ୍ରକୃତିସ୍ଥ କରି ଚୋର ପଛରେ ଦୌଡିବାକୁ ଲାଗିଲା ଓ ବର୍ଷା ଜୋରରେ ଚିଲ୍ଲାଇବାକୁ ଲାଗିଲା । କିନ୍ତୁ ଦୁର୍ଭାଗ୍ୟବଶତଃ, ପଥଚାରୀ ମାନେ ନିଜ ଦୁନିଆରେ ବ୍ୟସ୍ତଥିଲେ।

![](https://cdn.hashnode.com/res/hashnode/image/upload/v1711379077022/8b221193-b29d-440c-969d-a96065739e52.avif align="center")

ଜଣେ ଭଦ୍ରବ୍ୟକ୍ତି ମୋଟର ସାଇକେଲଟି ଅଟକାଇ ପରିସ୍ଥିତି ବୁଝିବାକୁ ଚେଷ୍ଟା କଲେ, ତେବେ ସମ୍ଭାବ୍ୟ ବିପଦକୁ ଆଖିରେ ରଖି କୌଣସି ପ୍ରକାର ସାହାଯ୍ୟ କରିବାକୁ ସେ ମନା କରିଦେଲେ।

ଚୋର ଦ୍ରୁତଗତି ରେ ଫେରାର ହୋଇ ଯିବାପରେ ଅସହାୟ ହୋଇ ଉଭୟ ନିକଟସ୍ଥ ପୋଲିସ ଥାନାକୁ ଗଲେ । ଫାଇଲର ପାହାଡ଼ ଗଦାରେ ବସିଥିବା ବେଙ୍ଗାଲୁରୁ ପୋଲିସ ଅଧିକାରୀଙ୍କର ମୋବାଇଲ୍ ଚୋରି ଭଳି ଘଟଣାକୁ ଶୁଣିବା ପାଇଁ ଧୈର୍ଯ୍ୟ ନ ଥିଲା।

![](https://cdn.hashnode.com/res/hashnode/image/upload/v1711379095054/ecf73912-1673-48fe-afd6-11f7e7adb778.avif align="center")

ବିଡ଼ମ୍ବନାର ବିଷୟ, ସେମାନେ ବର୍ଷା ଓ ରଜତ ଭଳି କାମ ପାଇଁ ବେଙ୍ଗାଲୁରୁ  ଆସୁଥିବା ଅଣ-କନ୍ନଡ଼ ବାସିନ୍ଦାଙ୍କୁ ସହରରେ ଦ୍ରୁତଗତିରେ ବଢୁଥିବା ଲୁଣ୍ଠନ ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ପାଇଁ ଦାୟୀ  କରିଥିଲେ।

ଅଧିକାରୀଙ୍କ ଉଦାସୀନତା ନିରାଶାଜନକ ଥିଲା ସତ, କିନ୍ତୁ ପୋଲିସ ଉପରେ ହ୍ରାସ ପାଉଥିବା ଜନତାଙ୍କ  ବିଶ୍ୱାସ  ଦୃଷ୍ଟିରୁ ଏହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ବି ନଥିଲା ।

![](https://cdn.hashnode.com/res/hashnode/image/upload/v1711379109273/9b3c798d-1de5-4339-bb01-8d28795ce088.avif align="center")

ବର୍ଷା ହାର ନ ମାନି ଚୋରି ହେଇଥିବା ଜାଗାର ସିସିଟିଭି ଫୁଟେଜ୍  ଦେଖିବା ପାଇଁ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କଲା। ତେବେ କମ୍ପୁଟର କଥା ବୁଝୁଥିବା ବ୍ୟକ୍ତିଟି ସେତେବେଳେ ଡ୍ୟୁଟିରେ ଥାନାରେ ନ ଥିବାରୁ ସେମାନେ ସକାଳ ସିଫ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାହାନା କଲେ। ସରକାରୀ ଅର୍ଥରେ ତିଆରି ଏ ସବୁ ବ୍ୟବସ୍ଥା ମୂଲ୍ୟହୀନ ଯଦି ତାହା ଦରକାର ସମୟରେ କାମରେ ନ ଆସେ !

ମୋବାଇଲରେ ଥିବା ତଥ୍ୟର ଅପବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିବାରୁ ପୋଲିସ୍ ଅଧିକାରୀ ତାଚ୍ଛଲ୍ୟ କରି କହିଥିଲେ ଯେ, ଚୋରମାନେ କେବଳ ମୋବାଇଲକୁ ବିକି ଦୁଇ ପଇସା କମାଇବା ବିଷୟରେ ଭାବନ୍ତି, ଅନ୍ୟ କିଛି ନୁହେଁ। ଏପରି ଲାଗିଲା ଯେପରିକି, ସେ ନିଜର କିଛି ବ୍ୟକ୍ତିଗତ ଅଭିଜ୍ଞତାକୁ ବାଣ୍ଟୁଥିଲେ !

କୌଣସି ପ୍ରକାରେ, ଏକାଧିକ ଅନୁରୋଧ ପରେ, ଏକ ଆନୁଷ୍ଠାନିକ ଏଫ୍. ଆଇ. ଆର୍. ପଞ୍ଜିକୃତ ହୋଇଥିଲା ଏବଂ ଦୁହିଁଙ୍କୁ ନେଇ ଏକ ଜିପରେ ପୋଲିସ  ଘଟଣା ସ୍ଥଳକୁ ଗଲା ।

![](https://cdn.hashnode.com/res/hashnode/image/upload/v1711379137495/8782df01-fca7-4780-a990-e5a2cc997d61.avif align="center")

ସେଠାରେ ଛିଡା ହୋଇଥିବା କିଛି ଲୋକ ମାନିଥିଲେ ଯେ, ସେମାନେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ, କିନ୍ତୁ ହସ୍ତକ୍ଷେପ ନକରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସତ୍ତ୍ଵେ ବିଳମ୍ବ ହେବା ପୂର୍ବରୁ ଚେକ୍ ପୋଷ୍ଟରେ ବାଇକ୍ ଚାଳକଙ୍କୁ ଅଟକାଇବା ପାଇଁ ପାଟ୍ରୋଲିଂ ଦଳକୁ ସତର୍କ କରିବାକୁ ପୋଲିସ ପାଖରେ ଇଚ୍ଛାଶକ୍ତି ମଧ୍ୟ ନଥିଲା !

![](https://cdn.hashnode.com/res/hashnode/image/upload/v1711379158798/bb905685-5559-43d1-b096-b6594b42a843.avif align="center")

ଥରେ କଳ୍ପନା କରି ଦେଖନ୍ତୁ, ଯଦି ଏହା ବେଙ୍ଗାଲୁରୁର କୌଣସି ରାଜନୈତିକ କିମ୍ବା ବ୍ୟାବସାୟିକ ବ୍ୟକ୍ତିଙ୍କ ସହ ଘଟିଥାନ୍ତା, ତେବେ  ସେହି ପୁଲିସ ନିଜ ମାଲିକଙ୍କ ହୃଦୟ ଜିତିବାକୁ ଦିନରାତି ଏକ କରି ଦେଇଥାନ୍ତା। ଏହା ଆମ ସମାଜର କିଛି ବାସ୍ତବିକତା !

ଡାକ୍ତରଙ୍କ ନିକଟରୁ ଔଷଧ ନେଇ ଘରକୁ ଫେରିବା ରାସ୍ତାରେ ବର୍ଷା ଓ ରଜତ ଭାଗ୍ୟରେ ଚୋର ସହିତ ଲଢ଼ିବା, ପୋଲିସର ପ୍ରତାଡନା ଏବଂ ପଥଚାରୀଙ୍କ ଧିକ୍କାର ସହିବା ଲେଖା ଥିଲା। ଉପାୟ ଶୂନ୍ୟ ହୋଇ ଶେଷରେ ଭୋର ୪ଟା ପାଖାପାଖି ଉଭୟ ଘରକୁ ଫେରି ଥିଲେ।

ବର୍ଷା ନିଜର ପରିଚୟ ଓ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜ ତରଫରୁ ପଦକ୍ଷେପ ନେଲା ଯେପରି କି ସିମ୍ କାର୍ଡ ଓ ଏ.ଟି.ଏମ. କୁ ବ୍ଲକ କରିବା ଇତ୍ୟାଦି। ଏପରିକି ସେ ଅନଲାଇନ ଟୁଲ ବ୍ୟବହାର କରି ଫୋନକୁ ଠାବ କରିବାକୁ ଚେଷ୍ଟା କଲା, କିନ୍ତୁ ଚୋରଟି କେବେ ବି ଆଉ ଅନଲାଇନ ଆସି ନଥିଲା।

![](https://cdn.hashnode.com/res/hashnode/image/upload/v1711379180743/8a47ecd1-a2a0-4528-8057-06ac168154cd.avif align="center")

ଏହି ଘଟଣା ଉଭୟଙ୍କ ଉପରେ ଏକ ଦୁଃଖଦାୟକ ଛାପ ଛାଡ଼ିଗଲା । ପ୍ରାୟ ଏକ କୋଟି ଲୋକଙ୍କ ଭିଡ଼ ଥିବା ବେଙ୍ଗାଲୁରୁ ସହରରେ ତାଙ୍କୁ ଏକୁଟିଆ ମନେ ହେଉଥିଲା !

ପରବର୍ତ୍ତୀ ସମୟରେ, ଜୀବନ ଆଗକୁ ବଢ଼ିଲା, କିନ୍ତୁ ସହରର ଏକଦା ପରିଚିତ ରାସ୍ତାଗୁଡ଼ିକ ବର୍ତ୍ତମାନ ସମ୍ଭାବ୍ୟ ବିପଦର ଏକ ଚକ୍ରାନ୍ତ ପରି ମନେ ହେଉଥିଲା। ଚକମକ ସହରର ବହୁତଳ ବିଲଡିଂରେ ରହି ମଧ୍ୟ ଭରସାର ମଣିଷ ଖୋଜିବା କଷ୍ଟକର ମାନେ ହେଉଥିଲା !

![](https://cdn.hashnode.com/res/hashnode/image/upload/v1711379187638/0f904736-b96b-423a-9763-509fb40df200.avif align="center")

ସମ୍ଭବତଃ, ନାଗରିକମାନେ କେବଳ ସଚେତନ ରହିପାରିବେ, ଯାହାଦ୍ୱାରା ସେମାନେ ଏହି ଆଶାକୁ ଧରି ରଖିବେ ନାହିଁ ଯେ, ଭାଗ୍ୟର କିଛି ମୋଡ଼ ସହିତ, ଚୋରି ହୋଇଥିବା ଫୋନ୍ ସେମାନଙ୍କ ନିକଟକୁ କେବେ ଫେରି ଆସିପାରେ !

***ଏହା ଏକ ବାସ୍ତବ ଜୀବନର ଘଟଣା ଉପରେ ଆଧାରିତ ଏବଂ ବ୍ୟବହୃତ ସମସ୍ତ ପରିଚୟ ଗୁଡିକ କାଳ୍ପନିକ ଅଟେ ।***
